ରାଜଧାନୀ ମୁହାଁ ହେଲା ନରହନ୍ତା ଦନ୍ତାହାତୀ

in #steempress4 years ago


ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜଧାନୀ ମୁହାଁ ହେଲା ନରହନ୍ତା ଦନ୍ତା ହାତୀ । ଗତ ତିନିଦିନ ହେବ ପୁରୀ ଜିଲ୍ଳାର ପିପିଲି, ଡେଲାଙ୍ଗ ଓ ନିମାପଡାରେ ୫ଜଣଙ୍କର ଜୀବନ ନେବା ପରେ ଏବେ ଭୁବନେଶ୍ୱର ମୁହାଁ ହୋଇଛି ନରହନ୍ତା ଦନ୍ତା ହାତୀ । ଆଜି ଭୋରୁ ଭୁବନେଶ୍ୱର ସ୍ଥିତ ଘାଟିକିଆରେ ହାତୀଟିକୁ ଦେଖିବାକୁ ମିଳିଥିବା ବେଳେ ହାତୀଟି ପୁଣି ଜଣେ ମହିଳାଙ୍କୁ ଆକ୍ରମଣ କରିଛି । ଗତ ୪୮ଘଣ୍ଟା ମଧ୍ୟରେ ହାତୀଟି ବିଭିନ୍ନ ସ୍ଥାନରେ ଉତ୍ପାତ କରିବା ସହ ଅନେକ ଧନ ଜୀବନ କ୍ଷତି କରିସାରିଲାଣି । ବନ ବିଭାଗର କର୍ମଚାରୀମାନେ ଯେତେ ଧରିବାକୁ ଉଦ୍ୟମ କରିଲେ ମଧ୍ୟ ସେମାନଙ୍କୁ ଚମ୍ପଟ ଦେଇ ହାତୀଟି ଅନ୍ୟତ୍ର ଚାଲିଯାଇ କ୍ଷୟକ୍ଷତି ଘଟାଇବାରେ ଲାଗିଛି ।

ତେବେ ହାତୀଟିକୁ ଘଉଡାଇବା ପାଇଁ ଡିଏଫଓ ସୁଦୀପ ନାୟକ, ରେଞ୍ଜର ଜୟକୃଷ୍ଣ ଯଦୁମଣି, ଏସିଏଫ ଗୋବିନ୍ଦ ଚନ୍ଦ୍ରଙ୍କ ନେତୃତ୍ୱରେ ବନ ବିଭାଗର ୫୦ଜଣ କର୍ମଚାରୀ ଲାଗି ପଡିଛନ୍ତି । ଆଜି ସକାଳେ ଭୁବନେଶ୍ୱରର ଘାଟିକିଆରେ ଜଣେ ମହିଳାଙ୍କୁ ଆକ୍ରମଣ କରିବା ପରେ ଏବେ ହାତୀଟି ଆୟୁର୍ବେଦିକ ଉଦ୍ୟାନ ଭିତରେ ପଶି ରହିଥିବା ସନ୍ଦେହ କରାଯାଉଛି । ହାତୀ ଆକ୍ରମଣରେ ଆହତ ହୋଇଥିବା ମହିଳାଙ୍କୁ ଏମ୍ସ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ହାତୀ ଆକ୍ରମଣରୁ ଲୋକମାନଙ୍କୁ ରକ୍ଷା କରିବା ପାଇଁ ବନ ବିଭାଗ ପକ୍ଷରୁ ମାଇକ ଯୋଗେ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଉଛି । ଅନ୍ୟପଟେ ଶଙ୍କରବିହାରରୁ କଳିଙ୍ଗବିହାର ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି । ହାତୀକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ହାତୀକୁ ସୁରକ୍ଷିତ ଭାବେ ବନରେ ଛାଡିବାକୁ ଚେଷ୍ଟା କରାଯାଉଥିବା ଭୁବନେଶ୍ୱର ସିଟି ଫରେଷ୍ଟ ଏସିଏଫ ସୂଚନା କରିଛନ୍ତି ।

Coin Marketplace

STEEM 0.17
TRX 0.12
JST 0.027
BTC 61414.81
ETH 2984.62
USDT 1.00
SBD 2.46